ନୂଆଦିଲ୍ଲୀ : ବାହାର ଅପେକ୍ଷା ନିଜ ଘର ଭିତରେ ହିଁ ଜଣେ ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍-୨ ସଂସ୍ପର୍ଶରେ ଆସିବାର ଆଶଙ୍କା ଅଧିକ ରହିଛି। ଦକ୍ଷିଣ କୋରିଆର ହାଲିମ୍ ବିଶ...
ନୂଆଦିଲ୍ଲୀ : ବାହାର ଅପେକ୍ଷା ନିଜ ଘର ଭିତରେ ହିଁ ଜଣେ ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍-୨ ସଂସ୍ପର୍ଶରେ ଆସିବାର ଆଶଙ୍କା ଅଧିକ ରହିଛି। ଦକ୍ଷିଣ କୋରିଆର ହାଲିମ୍ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଏହି ସଦ୍ୟ ଅନୁଧ୍ୟାନ ଘରେ ସଂଗରୋଧ ରହିବାର ସୁରକ୍ଷାରେ ପ୍ରଶ୍ନବାଚୀ ଲଗାଇଛି। ଗତ ଜାନୁଆରି ୨୦ରୁ ମାର୍ଚ୍ଚ ୨୭ ଭିତରେ ଦକ୍ଷିଣ କୋରିଆରେ ଏହି ସର୍ବେକ୍ଷଣରେ ସାମିଲ ହୋଇଥିବା ୫,୦୭୬ ଜଣ ବଛା କୋଭିଡ୍ ରୋଗୀ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୫୯,୦୦୦ ବ୍ୟକ୍ତିବିଶେଷଙ୍କ ନମୁନା ପରୀକ୍ଷଣରୁ ଏପରି ନିର୍ଯାସ ମିଳିପାରିଛି।
ତଥ୍ୟଗତ ସୂଚନାନୁଯାୟୀ, ଶହେ ଜଣ ସଂକ୍ରମିତଙ୍କ ଭିତରୁ ମାତ୍ର ୨ ଜଣ ହିଁ ବାହାର ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ଅପରପକ୍ଷେ, ପ୍ରତି ଦଶ ଜଣରେ ଜଣେ ହିଁ ନିଜ ଘର ଭିତରେ ଆତ୍ମୀୟଙ୍କ ସଂସ୍ପର୍ଶରେ ଆସିଥିବା ଜଣାଯାଇଛି। ସେହିପରି ଘର ଭିତରେ ହୋଇଥିବା ସଂକ୍ରମଣ କିଶୋର କିମ୍ବା ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଅପେକ୍ଷାକୃତ ଅଧିକ ରହିଛି। ଅବଶ୍ୟ ଏହି ବୟସର ଆତ୍ମୀୟମାନେ ହିଁ ଦୈନନ୍ଦିନ ଜୀବନରେ ଅଧିକ ଯତ୍ନ ବା ସୁରକ୍ଷା ଲୋଡୁଥିବାରୁ ସେମାନେ ଘରଲୋକଙ୍କ ସହ ବେଶୀ ସଂସ୍ପର୍ଶରେ ଆସିଥାନ୍ତି ବୋଲି କୁହାଯାଇଛି। ଅପରପକ୍ଷେ, ନଅ ବର୍ଷରୁ କମ୍ ଶିଶୁମାନେ କ୍ବଚିତ୍ ସଂକ୍ରମଣ ଉତ୍ସ ହୋଇଛନ୍ତି। ସେହିପରି ବୟସ୍କଙ୍କ ଅପେକ୍ଷା ଶିଶୁମାନେ ହିଁ ଅଧିକ ଲକ୍ଷଣବିହୀନ ସଂକ୍ରମଣ ପ୍ରଦର୍ଶନ କରିଥାନ୍ତି। ସୁତରାଂ ସେମାନଙ୍କୁ ବଛା କୋଭିଡ୍ ଭାବେ ପରିଗଣିତ କରାଯାଇନାହିଁ। ତେବେ ଜଣେ କୋଭିଡ୍-୧୯ ସଂକ୍ରମିତ ସଂସ୍ପର୍ଶରେ ଆସିବା ପାଇଁ ବୟସର ତାରତମ୍ୟରେ କୌଣସି ବିଶେଷ ଫରକ ନଥାଏ ବୋଲି ମୁଖ୍ୟ ଗବେଷକ ଡା. ଚୋ ୟଙ୍ଗ ଜୁନ୍ କହିଛନ୍ତି।


No comments