Page Nav

HIDE

Grid

GRID_STYLE

Classic Header

Breaking News:

latest

୯ଘଣ୍ଟାରେ ୧୧୪ମିମି ବର୍ଷା : କାଲିମେଳା, ପଡ଼ିଆରେ ବନ୍ୟା ପରିସ୍ଥିତି

କାଲିମେଳା/ପଡ଼ିଆ : ଲଗାଣ ବର୍ଷା ମାଲକାନଗିରି ଜିଲ୍ଲା କାଲିମେଳା ଓ ପଡ଼ିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ନଦୀ ତଥା ନାଳଗୁଡ଼ିକରେ ଜଳପତ୍ତନ ଅସ୍ବାଭାବିକ ଭାବେ...

କାଲିମେଳା/ପଡ଼ିଆ : ଲଗାଣ ବର୍ଷା ମାଲକାନଗିରି ଜିଲ୍ଲା କାଲିମେଳା ଓ ପଡ଼ିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ନଦୀ ତଥା ନାଳଗୁଡ଼ିକରେ ଜଳପତ୍ତନ ଅସ୍ବାଭାବିକ ଭାବେ ବୃଦ୍ଧି ପାଇ ବହୁ ଅଞ୍ଚଳରେ ପାଣି ପଶିଥିବା ସୂଚନା ମିଳିଛି। ସ୍ଥିତି ସଂଗିନ ହୋଇଥିବା ବେଳେ ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବ୍ୟାପକ ଭାବେ ଜୀବନଯାତ୍ରା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।


ଗତ ୩ଦିନ ହେଲା କାଲିମେଳା ଅଞ୍ଚଳରେ ବର୍ଷା ଲାଗି ରହିଛି। ତେବେ ଆଜି ସକାଳେ କ୍ରମାଗତ ଭାବେ ବଢ଼ିବାରେ ଲାଗିଥିଲା। ଆଜି ସକାଳ ୮ଟାରୁ ସଂଧ୍ୟା ୫ଟା ମଧ୍ୟରେ ବ୍ଲକରେ ୧୧୪ ମିଲିଲିଟର ବର୍ଷା ରେକର୍ଡ କରାଯାଇଛି। ଯାହାଫଳରେ ନଦୀ ଫୁଲିବା ଆରମ୍ଭ କରିଛି। ଏପରିକି ରାସ୍ତା ତଥା ପୋଲ ଉପରକୁ ବନ୍ୟାଜଳ ଚାଲି ଆସିବାରୁ କାଲିମେଳାରୁ ମାଲକାନଗିରି, ମୋଟୁ ଏବଂ ପଡ଼ିଆକୁ ଯୋଗାଯୋଗ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। କାଲିମେଳା ବ୍ଲକ୍‌ ଏକପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଆଜି ସଂଧ୍ୟା ସୁଦ୍ଧା କାଙ୍ଗୁରକୋଣ୍ତା ପୋଲ ଉପରେ ପ୍ରାୟ ୪ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ତେଣୁ ୪ଘଣ୍ଟା ଧରି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସେହିପରି ଏମଭି-୯୦, ଏମଭି-୯୬, ମହାରାଜପାଲୀ ନାଳ ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେବାରୁ କାଲିମେଳାରୁ ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କାଲିମେଳା ନିକଟ ପୁଷୁଗୁଡ଼ା ଗ୍ରାମ ନିକଟରେ ରାସ୍ତାରେ ୩ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେବାରୁ କାଲିମେଳାରୁ ପଡ଼ିଆ ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଟେରୁ ନିକଟସ୍ଥ ପୁଲିମେଟଲା ନର୍ସରି ନିକଟରେ ମଧ୍ୟ ମୁଖ୍ୟରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବାରୁ ପୋଟେରୁ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ସଂଧ୍ୟା ସୁଦ୍ଧା କନ୍ୟାଶ୍ରମ ପୋଲ ଉପରେ ପ୍ରାୟ ୨ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ବନ୍ୟା ପରିସ୍ଥିତିକୁ ଦେଖି ଆଜି ତହସିଲଦାର ଆଲୋକ କୁମାର ଅନୁଗୁଳିଆ, ବିଡିଓ ଉମା ଶଙ୍କର ଦଳାଇଙ୍କ ସହ ପୁଲିସ ଓ ଅଗ୍ନିଶମ ବିଭାଗ କାଙ୍ଗୁରକୋଣ୍ତା, ଏମଭି–୯୦ ଓ କନ୍ୟାଶ୍ରମ ପୋଲ ନିକଟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।
ବର୍ଷା ବଢ଼ିବାରୁ ପଡ଼ିଆ ବ୍ଲକରେ ମଧ୍ୟ ସ୍ଥିତି ବେହାଲ। ଶାବେରୀ ନଦୀରେ ବନ୍ୟାଜଳ ପଶିବା ପରେ କମାରଗୁଡ଼ା ଓ କାଲଦାପଲ୍ଲୀ ଗାଁ ନିକଟରେ କୂଳ ଲଙ୍ଘିବା ଭଳି ପରିସ୍ଥିତି ହୋଇଛି। ପଡ଼ିଆ-ଶିମିଳିବାଞ୍ଛା ମୁଖ୍ୟରାସ୍ତାରେ ଥିବା କମାରଗୁଡ଼ା, କାଲଦାପଲ୍ଲୀ, ଟାଙ୍ଗରକୋଣ୍ଡା ଓ କୁର୍ତ୍ତୀ ଆଦି ଗାଁ ନିକଟସ୍ଥ ନାଳରେ ବି ପ୍ରଖର ସ୍ରୋତରେ ବନ୍ୟାଜଳ ପ୍ରବାହିତ ହେଉଛି। ଯଦି ବର୍ଷା ଲାଗି ରୁହେ ତେବେ ଆସନ୍ତାକାଲି ପଡ଼ିଆ ବ୍ଲକର ପ୍ରାୟ ୮ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବ ବୋଲି ଅନୁମାନ କରାଯାଉଛି। ଉଣ୍ଡୁରୁକୋଣ୍ଡା, ଗିରିକାନପଲ୍ଲୀ, ଶିମିଳିବାଞ୍ଛା ଓ କାଲଦାପଲ୍ଲୀ ଅଞ୍ଚଳର ପ୍ରାୟ ୮ହଜାର ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏଥିପାଇଁ ଉଣ୍ଡୁରୁକୋଣ୍ଡା କନ୍ୟାଶ୍ରମ, ସଙ୍ଗେଲ, ଏମଭି-୫୭ ଓ ଗିରିକାନପଲ୍ଲୀ ପଞ୍ଚାୟତ ସଦର ସମେତ ପ୍ରେମାଗୁଡ଼ା, ମୁରୁବାନପଲ୍ଲୀ, ଶିମିଳିବାଞ୍ଛା ପଞ୍ଚାୟତର ଏମପିଭି- ୬୯, ବାଲାମପଲ୍ଲୀ ଓ କାଲଦାପଲ୍ଲୀ ପଞ୍ଚାୟତର କୁର୍ତ୍ତୀ, ଏମପିଭି-୬୧ ଗ୍ରାମବାସୀଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ନଦୀ ନିକଟକୁ ନ ଯିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ବନ୍ୟାଜଳ ଗାଁରେ ପଶିଲେ ଗିରିକାନପଲ୍ଲୀ ସ୍ଥିତ ବନ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ଥଇଥାନ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ବିଡିଓ ରଘୁନାଥ ମୁଣ୍ଡାରୀ କହିଛନ୍ତି।

No comments