ନୂଆଦିଲ୍ଲୀ: ଚାରିଟି ସହଜ ଉପାୟରେ କରୋନାଭାଇରସ୍ ସଂକ୍ରମଣ ଚିହ୍ନଟ କରିବା ପଦ୍ଧତି ଚୂଡ଼ାନ୍ତ କରିବା ନିମନ୍ତେ ଭାରତୀୟ ବୈଜ୍ଞାନିକଙ୍କୁ ସହଯୋଗ କରିବାକୁ ଏ ସପ୍ତାହରେ ...
ନୂଆଦିଲ୍ଲୀ: ଚାରିଟି ସହଜ ଉପାୟରେ କରୋନାଭାଇରସ୍ ସଂକ୍ରମଣ ଚିହ୍ନଟ କରିବା ପଦ୍ଧତି ଚୂଡ଼ାନ୍ତ କରିବା ନିମନ୍ତେ ଭାରତୀୟ ବୈଜ୍ଞାନିକଙ୍କୁ ସହଯୋଗ କରିବାକୁ ଏ ସପ୍ତାହରେ ଇସ୍ରାଏଲ୍ର ଦଳେ ବୈଜ୍ଞାନିକ ଭାରତ ଆସିବେ।
ଚାରିଟି ଉପାୟରୁ ଦୁଇଟି ହେଉଛି କୋଭିଡ୍-୧୯ ପରୀକ୍ଷା ଯେଉଁଥିରେ ମନୁଷ୍ୟ ଲାଳ ନମୁନାରୁ ମାତ୍ର କେଇ ମିନିଟ୍ ମଧ୍ୟରେ ‘ସାର୍ସ-କୋଭ୍-୨ ଭୂତାଣୁ’ର ଅଛି କି, ନାହିଁ ଜାଣି ହେବ। ତୃତୀୟ ଉପାୟଟି ହେଉଛି ମନୁଷ୍ୟର କଣ୍ଠ ସ୍ବର ଶୁଣି ଜାଣି ହେବ ସେ କୋଭିଡ୍-୧୯ ଆକ୍ରାନ୍ତ କି, ନୁହନ୍ତି। ଚତୁର୍ଥ ଉପାୟଟି ହେଉଛି ଏକ ଭାଇରସ୍ ଡିଟେକ୍ଟର୍ ଯାହା ରେଡିଓ ତରଙ୍ଗ ଦ୍ବାରା ପ୍ରଶ୍ବାସ ବାୟୁ ନମୁନା ଅନୁଶୀଳନ କରି ଭୂତାଣରୁ ଉପସ୍ଥିତି ବାରି ପାରିବ।
ଜାତୀୟ ରାଜଧାନୀସ୍ଥିତ ‘ଏମ୍ସ୍’ରେ ଇସ୍ରାଏଲୀୟ ବୈଜ୍ଞାନିକମାନେ ପରୀକ୍ଷା ଚଳାଇବେ। ଉପରୋକ୍ତ ପଦ୍ଧତିଗୁଡ଼ିକର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଇସ୍ରାଏଲ୍ରେ ଶେଷ ହୋଇଛି। ଚୂଡ଼ାନ୍ତ ପରୀକ୍ଷା ଭାରତରେ କରାଯିବ ବୋଲି ଭାରତସ୍ଥିତ ଇସ୍ରାଏଲ୍ର ରାଷ୍ଟ୍ରଦୂତ ରୋନ୍ ମାଲକିନ୍ କହିଛନ୍ତି।
ଏହି ଚାରିଟି କୋଭିଡ୍-୧୯ ଭୂତାଣୁ ଚିହ୍ନଟ ଉପାୟରୁ ଗୋଟିଏ ହେଉଛି ନୂତନ ପରୀକ୍ଷା। ସେଥିରେ ପଲିଆମିନୋଏସିଡ୍ ବ୍ୟବହାର କରାଯାଇ ମାତ୍ର ୩୦ ମିନିଟ୍ ମଧ୍ୟରେ ଫଳାଫଳ ଜାଣିହୁଏ ବୋଲି ଇସ୍ରାଏଲ୍ର ଡାଇରେକ୍ଟୋରେଟ୍ ଅଫ୍ ଡିଫେନ୍ସ୍ ରିସର୍ଚ ଆଣ୍ଡ୍ ଡେଭ୍ଲପ୍ମେଣ୍ଟ୍ର ମୁଖ୍ୟ ଡେନି ଗୋଲ୍ଡ୍ କହିଛନ୍ତି।
ଦ୍ବିତୀୟ ପରୀକ୍ଷାଟି ଶସ୍ତାରେ ହୋଇପାରୁଥିବା ବାୟୋକେମିକାଲ୍ ଯାହା ଘରେ କରାଯାଇ ୩୦ ମିନିଟ୍ ମଧ୍ୟରେ ଫଳାଫଳ ଜାଣିହେବ। ଉଭୟ ପରୀକ୍ଷା ନିମନ୍ତେ ମୁନଷ୍ୟ ଲାଳକୁ ନମୁନା ଭାବେ ବ୍ୟବହାର କରାଯିବ।

No comments