Page Nav

HIDE

Grid

GRID_STYLE

Classic Header

Breaking News:

latest

ଲିଭିଗଲା ଦୀପାଙ୍କ ଜୀବନ ଦୀପ

୨୭।୦୭ହାଏ ହାଏ ତୋ ମଲ୍ଲୀଫୁଲ ଗଜରା… ଗୀତଟି ମନେ ପଡ଼ିଲେ ଆଖି ଆଗରେ ନାଚି ଉଠନ୍ତି ଅଭିନେତ୍ରୀ ଦୀପା। କିଏ ତାଙ୍କୁ ଝିଅଟେ ମେଡ୍‍ ଇନ୍‍ ଓଡ଼ିଶା କହେ ତ ଆଉ କିଏ ରଙ୍ଗେଇନାନ...


୨୭।୦୭ହାଏ ହାଏ ତୋ ମଲ୍ଲୀଫୁଲ ଗଜରା… ଗୀତଟି ମନେ ପଡ଼ିଲେ ଆଖି ଆଗରେ ନାଚି ଉଠନ୍ତି ଅଭିନେତ୍ରୀ ଦୀପା। କିଏ ତାଙ୍କୁ ଝିଅଟେ ମେଡ୍‍ ଇନ୍‍ ଓଡ଼ିଶା କହେ ତ ଆଉ କିଏ ରଙ୍ଗେଇନାନୀ। ଆଲ୍‍ବମ୍‍ ଜଗତର କୁଇନଭାବେ ପରିଚିତ ଦୀପା ଅନେକ ନାୟକଙ୍କୁ ଆଲ୍‍ବମ୍‍ ଜରିଆରେ ପରିଚିତ କରାଇଛନ୍ତି। ସେଇ ଅଭିନେତ୍ରୀ ଦୀପା ସାହୁ ଆଉ ନାହାନ୍ତି। ଦୀର୍ଘ ୩ବର୍ଷ ହେବ ସେ ଜରାୟୁ କର୍କଟରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବାବେଳେ ଆଜି ଏଠାରେ ଏକ ଘରୋଇ ହସ୍ପିଟାଲରେ ୩୭ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି। ସପ୍ତାହକ ପୂର୍ବରୁ ଓଲିଉଡର ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ହୋଇଥିବାବେଳେ ଆଜି ଅଭିନେତ୍ରୀ ଦୀପାଙ୍କ ବିୟୋଗ ମନୋରଞ୍ଜନ ଶିଳ୍ପକୁ ମ୍ରିୟମାଣ କରିଛି।
ଢେଙ୍କାନାଳରେ ୧୯୮୩ରେ ଜନ୍ମଗ୍ରହଣ କରିଥିଲେ ଦୀପା। ଦେଖିବାକୁ ଯେଭଳି ସୁନ୍ଦର ଥିଲେ ତାଙ୍କ ଅଭିନୟ ଶୈଳୀ ମଧ୍ୟ ସେହିଭଳି ନିଆରା ଥିଲା। ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇଥିଲା ଅଭିଯାନ। ନବେ ଦଶକରେ ଆଲ୍‍ବମ୍‍ ଜରିଆରେ ସେ ଦର୍ଶକଙ୍କ ହୃଦୟରେ ବସା ବାନ୍ଧିଥିଲେ। କେବଳ ଆଲ୍‍ବମ୍‍ ନୁହେଁ ଧାରାବାହିକ ଏବଂ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରି ସେ ଓଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ। ବିବାହ ପରେ ଦୀର୍ଘ ବର୍ଷ ହେଲା ଅଭିନୟ ଜଗତରୁ ଦୂରେଇ ରହିଥିଲେ ସୁଦ୍ଧା ଭଲ ସୁଯୋଗ ଅପେକ୍ଷାରେ ଥିଲେ। ସେ ମନୀନ୍ଦ୍ର ଦତ୍ତଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଏକ କନ୍ୟା ଥିବା ଜଣାପଡ଼ିଛି।
ଜରାୟୁ କର୍କଟରେ ଆକ୍ରାନ୍ତ ହୋଇ ସେ ପ୍ରଥମେ ମୁମ୍ବଇର ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଲକ୍‍ଡାଉନ୍‍ ଯୋଗୁଁ ସେଠାକୁ ଯାଇନପାରି ଏଠାରେ ସେ ଚିକିତ୍ସିତ ହେଉଥିଲେ। ପ୍ରଥମେ କ୍ୟାପିଟାଲ ଓ ପରେ ଏମ୍ସରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ଆଶା ରଖିଥିଲେ ପୁଣି ଏହି ଜୀବନଯୁଦ୍ଧରୁ ମୁକୁଳିବେ ଏବଂ ନିଜ ସାଥୀ, ପରିବାର ସହିତ ହସ ବାଣ୍ଟିବେ। ମାତ୍ର ବିଧିର ବିଧାନ ଥିଲା ଅଲଗା। ଗତକାଲି ନିଃଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ଅପରାହ୍ଣ ୪ଟାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ସେ ପ୍ରାୟ ଶହେରୁ ଅଧିକ ଆଲ୍‍ବମ୍‍ କରିଛନ୍ତି। ଅନୁଭବ, ସବ୍ୟସାଚୀ, ବବି ମିଶ୍ର, ଶ୍ରୀତମ ଦାସ, ଦୀପକଙ୍କ ଭଳି ଅନେକ ଆଗଧାଡ଼ିର ଅଭିନେତାଙ୍କ ସହିତ ଆଲ୍‍ବମ୍‍ରେ ଅଭିନୟ କରିଛନ୍ତି। ତାଙ୍କ ଆଲ୍‍ବମ୍‍ ମଧ୍ୟରେ- କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ, ଏକଡ଼ା ଏକଡ଼ା ରା, ହାଏ ହାଏ ତୋ ମଲ୍ଲୀଫୁଲ ଗଜରା, ମିଛେଇ ଝିଅ, ଟଣାଟଣା ଆଖି, ଦବୁ ଯଦି ଗୋରୀ ଦିଲ୍‍ ଦେଇଯା, ଏ ମୋ ସହରୀବାବୁ ପ୍ରଭୃତି ରହିଛି। ଧାରାବାହିକ ‘ଉତ୍ତରଦାୟୀ’, ‘ବଡ଼ଘର ବଡ଼ ଗୁମରକଥା’ ସହ ଚଳଚ୍ଚିତ୍ର ‘ନାରୀ ଆଖିରେ ନିଆଁ’, ‘ସୁନାଚଢ଼େଇ ମୋ ରୁପା ଚଢ଼େଇ’, ‘କଲେଜ ଟାଇମ୍‍’ ପ୍ରଭୃତିରେ ଅଭିନୟ କରି ସେ ସବୁ ବର୍ଗର ଦର୍ଶକଙ୍କ ହୃଦୟରେ ସ୍ଥାନିତ ହୋଇଛନ୍ତି।
ହସ୍ପିଟାଲରେ ବିଧାୟକ ସୁଶାନ୍ତ ରାଉତ, ଦୀପାଙ୍କ ସ୍ୱାମୀ, ଦୁଇ ଭାଇ ଓ ଭାଉଜଙ୍କ ସମେତ ଅଭିନେତ୍ରୀ ଉଷସୀ ମିଶ୍ର, ବିଦୁସ୍ମିତା, ଏଲିନା, ସମରେଶ ରାଉତରାୟ, ଦେବାଶିଷ ପାତ୍ର, ସୁମନ ନାୟକ, ଅଖିଳ ପଟ୍ଟନାୟକ ଏବଂ ତାଙ୍କ ସମ୍ପର୍କୀୟ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ। ତାଙ୍କ ଗାଁ ଢେଙ୍କାନାଳର ଭାପୁରରେ ଅନ୍ତିମ ସଂସ୍କାର ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଦୀପାଙ୍କ ଚିକିତ୍ସା ପାଇଁ ଅନେକ କଳାକାର ସହଯୋଗର ହାତ ବଢ଼ାଇଥିବାବେଳେ ସଂସ୍କୃତି ବିଭାଗ ଏବଂ ଓଏସ୍‍ଟିଏଫରୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିିଲା।

No comments