Page Nav

HIDE

Grid

GRID_STYLE

Classic Header

Breaking News:

latest

ଟେଲରିଂ କରି ପୁଅକୁ କଲେ ଆଇଏଏସ୍‌

ଖାଇବାରେ ଟିକେ ଊଣା ହୋଇଗଲେ ଚଳେଇ ନେଉଥିଲେ। ମାତ୍ର ପାଠ ପଢ଼ାରେ ଯେମିତି ସାମାନ୍ୟତମ ସମସ୍ୟା ସୃଷ୍ଟି ନହୁଏ ତା’ ଉପରେ ମା’ଙ୍କର ତୀକ୍ଷ୍‌ଣ ନଜର ଥିଲା। ଖାସ୍‌ ଏଇଥିପାଇ...

ଖାଇବାରେ ଟିକେ ଊଣା ହୋଇଗଲେ ଚଳେଇ ନେଉଥିଲେ। ମାତ୍ର ପାଠ ପଢ଼ାରେ ଯେମିତି ସାମାନ୍ୟତମ ସମସ୍ୟା ସୃଷ୍ଟି ନହୁଏ ତା’ ଉପରେ ମା’ଙ୍କର ତୀକ୍ଷ୍‌ଣ ନଜର ଥିଲା। ଖାସ୍‌ ଏଇଥିପାଇଁ ପିଲାମାନଙ୍କୁ ମଣିଷ କରିବାକୁ ସେ ଚାଲି ଆସିଥିଲେ ଜଗତସିଂହପୁରରୁ ଭୁବନେଶ୍ବର। ଚିହ୍ନା ଜଣା କେହିନଥିଲେ। ଏସବୁ ସତ୍ତ୍ବେ ଗୋଟେ ବଖରିଆ ଘରେ ଟେଲରିଂ ଦୋକାନ ଆରମ୍ଭ କରି ଜୀବନ ଯୁଦ୍ଧରେ ଲଢ଼ି ଚାଲିଥିବା ବେଳେ ଭଗବାନ ତାଙ୍କ ପରିଶ୍ରମର ମୂଲ୍ୟ ଦେଇଛନ୍ତି। ସେଦିନର ସେଇ ସାହସିକ ନିଷ୍ପତ୍ତି ଓ ସଂଘର୍ଷର ଫଳଶ୍ରୁତି ସ୍ବରୂପ ଆଜି ନିଜ ପୁଅକୁ ଆଇଏଏସ୍‌ ହେବାର ଗୌରବ ଆଣି ଦେଇଛନ୍ତି ମିନତି ଭୋଳ। ନୀଳାଦ୍ରିବିହାର ସେକ୍ଟର ୩ସ୍ଥିତ ପ୍ଲଟ୍‌ ନମ୍ବର ୧୯୫ରେ ରହୁଥିବା ମହିଳା ଟେଲର ମିନତିଙ୍କ ପୁଅ କୁମାର ବିଶ୍ବରଂଜନ ୟୁପିଏସ୍‌ସି ପରୀକ୍ଷାରେ ୧୮୨ ରୢାଙ୍କ୍‌ରେ ଉତ୍ତୀର୍ଣ୍ଣ ହୋଇ ଅନେକଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

ଜଗତସିଂହପୁର ଜିଲ୍ଲା ବେରୁଆଁର ମୂଳ ବାସିନ୍ଦା କୁମାର ବିଶ୍ବରଂଜନ ପିଲାବେଳେ ଅଭାବକୁ ସାମ୍ନା କରିଛନ୍ତି। ମାତ୍ର ଏହାକୁ ଆଳ କରି ସେ କେବେ ପାଠରେ ପଛେଇ ନାହାନ୍ତି। ପିଲାବେଳୁ ଅଭାବ ଭିତରେ ବଢ଼ିଥିଲେ ବି ସଫଳତାର ରାସ୍ତାରେ କେବେ ଏହା ବିଶ୍ବରଂଜନଙ୍କ ପାଇଁ ବାଧକ ହୋଇନାହିଁ। ମା’ ମିନତି ଟେଲରିଂ କରୁଥିବା ବେଳେ ବାପା ବେଣୁଧର ଗାଁରେ ଚାଷବାସ କରନ୍ତି। ଯାହା ବି କରୁଛ ସେଥିରେ ଯେ ଶ୍ରେଷ୍ଠତ୍ବ ପ୍ରାପ୍ତି କରିବା ଆବଶ୍ୟକ; ତାହା ସବୁବେଳେ ବିଶ୍ବରଂଜନ ତାଙ୍କ ମା’ଙ୍କୁ ଅନୁସରଣ କରି ଶିଖିଛନ୍ତି। ୨୦୦୩ ମସିହା ବେଳକୁ ମିନତି ନୀଳାଦ୍ରିବିହାରରେ ଗୋଟିଏ ଘର ଭଡ଼ା ନେଇ ଟେଲରିଂ କାମ ଆରମ୍ଭ କରିଥିଲେ। ମାତ୍ର ସେ ଏମିତି କାମ କଲେ ଯେ ଧୀରେଧୀରେ ତାଙ୍କ ପ୍ରସିଦ୍ଧି ସେ ଅଞ୍ଚଳରେ ବ୍ୟାପ୍ତ ହୋଇଗଲା। ବହୁତ ବଡ଼ ବଡ଼ ଲୋକ ଧୀରେଧୀରେ ମିନତିଙ୍କ ପାଖରେ ଟେଲରିଂ କାମ କରେଇଲେ। ଏହା ଦେଖି ବଡ଼ ହୋଇଥିବା ବିଶ୍ବରଂଜନ ବି ସେହିଭଳି ପାଠ ଓ କର୍ମର ଶ୍ରେଷ୍ଠ ସୋପାନରେ ପହଞ୍ଚିବାକୁ ନିଜେ ନିଜ ସହ ପ୍ରତିଯୋଗିତା କରୁଥିଲେ।
ଗ‌ଣିତ ଅପ୍‌ସନାଲ ରଖି ସେ ୨୦୧୯ ୟୁପିଏସ୍‌ସିରେ ୧୮୨ ରୢାଙ୍କ ପାଇଥିଲେ ହେଁ ଏହା ପୂର୍ବରୁ ୨୦୧୮ ମସିହା ୟୁପିଏସ୍‌ସି ପରୀକ୍ଷାରେ ମଧ୍ୟ ସେ ୩୯୧ତମ ରୢାଙ୍କରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏଥିସହ ଭାରତୀୟ ରେଳ ଆକାଉଣ୍ଟସ ସେବାରେ ସେ କାର୍ଯ୍ୟରତ ଥିଲେ। ବିଶ୍ବରଂଜନଙ୍କ କହିବା ମୁତାବକ, ପରୀକ୍ଷା ୬ ମାସ ଥିବା ବେଳେ ଦିନକୁ ୧୦-୧୨ ଘଣ୍ଟା ପରିଶ୍ରମ କରୁଥିଲେ। ମାତ୍ର ଅନ୍ୟ ଦିନରେ ୫-୬ ଘଣ୍ଟା ପଢ଼ାପଢ଼ି କରୁଥିଲେ। ତେବେ ପାଠରେ ସେ ସବୁବେଳେ ନିଜେ ନିଜର ପ୍ରତିଯୋଗୀ ରହି ଆସିଥିଲେ। ମାଟ୍ରିକ୍‌ରେ ନୀଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପଢ଼ିବା ବେଳେ ସେ ସମଗ୍ର ଓଡ଼ିଶାରେ ୬ଷ୍ଠ ସ୍ଥାନରେ ଏବଂ ବିଜେବିରେ ପଢ଼ିବା ବ‌େଳେ +୨ ବିଜ୍ଞାନରେ ସମଗ୍ର ରାଜ୍ୟରେ ୮ମ ସ୍ଥାନ ଅକ୍ତିଆର କରିଥିଲେ। ୧୦ମ ପରେ ‌କୋଚିଂ ନେବାର ଆବଶ୍ୟକତା ଥିବା ବେଳେ ତାଙ୍କ ପାଇଁ ଭଗବାନ ସଦୃଶ ସାହା ହୋଇଥିଲେ ଫିଜିକ୍ସ ଶିକ୍ଷକ ପ୍ରଶାନ୍ତ ସାମଲ। ବିନା ପାରିଶ୍ରମିକରେ ସେ ବିଶ୍ବରଂଜନଙ୍କୁ କୋଚିଂ ଦେଇଥିଲେ। ଫଳସ୍ବରୂପ +୨ ପରେ ବିଶ୍ବରଂଜନ ଆଇଆଇଟି ଗୌହାଟିରେ ବି-ଟେକ୍‌ ପଢ଼ିପାରିଥିଲେ। ପରେ ସେ କିଛି ମାସ ଚାକିରି ମଧ୍ୟ କରିଥିଲେ। ଆଇଆଇଟି ପଢ଼ିବା ବ‌େଳେ ନିଜ ସହପାଠୀମାନେ ୟୁପିଏସ୍‌ସି ପ୍ରସ୍ତୁତି କରୁଥିବାର ଜାଣି ସେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ୨୦୧୬ ନଭେମ୍ବର ମାସରେ ଚାକିରି ଛାଡ଼ି ଦେଇଥିଲେ। ଦିଲ୍ଲୀ ଯାଇ ସେଠାରୁ ପାଠ୍ୟ ପୁସ୍ତକ ସଂଗ୍ରହ କରି ଘରେ ହିଁ ପ୍ରସ୍ତୁତି କରିଥିଲେ। ବିଶ୍ବରଂଜନଙ୍କ କହିବା ମୁତାବକ, କେଉଁଠି ପହଞ୍ଚିବା ବଡ଼ କଥା ନୁହେଁ। ବରଂ କେଉଁ ଜାଗାରୁ ଯାଇ ପହଞ୍ଚିପାରୁଛି ସେଟା ବଡ଼ କଥା। ବୋଧେ ଏହା ଥିଲା ତାଙ୍କ ପାଇଁ ଆଉ ଏକ ମନ୍ତ୍ର।

No comments