Page Nav

HIDE

Grid

GRID_STYLE

Classic Header

Breaking News:

latest

ଭାରତର ପଡ଼ୋଶୀଙ୍କୁ ଧରି ଚୀନ୍‌ ଗଢୁଛି ନୂଆ ମେଣ୍ଟ

୦୪।୦୮:ଗଲଵାନ୍‌ ଉପତ୍ୟକା ସଂଘର୍ଷ ପରେ ଭାରତ ସହ ଦ୍ବିପାକ୍ଷିକ କୂଟନୈତିକ ତଥା ସାମରିକ ଆଲୋଚନା ପରେ ନିଜ ବିସ୍ତାରବାଦୀ ଲକ୍ଷ୍ୟ ପୂରଣରେ ବିଫଳ ହୋଇଥିବା ଚୀନ ରାଷ୍ଟ୍ରପତ...


୦୪।୦୮:ଗଲଵାନ୍‌ ଉପତ୍ୟକା ସଂଘର୍ଷ ପରେ ଭାରତ ସହ ଦ୍ବିପାକ୍ଷିକ କୂଟନୈତିକ ତଥା ସାମରିକ ଆଲୋଚନା ପରେ ନିଜ ବିସ୍ତାରବାଦୀ ଲକ୍ଷ୍ୟ ପୂରଣରେ ବିଫଳ ହୋଇଥିବା ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଏବେ ଏକ ଭିନ୍ନ ଆଭିମୁଖ୍ୟ ପୋଷଣ କରୁଛନ୍ତି। ଭାରତ ବିରୋଧରେ ନିଜର ପତିଆରା ଦେଖାଇବା ଲାଗି ପେକିଂ ପ୍ରଶାସନ ବାଂଲାଦେଶ, ନେପାଳ, ପାକିସ୍ତାନ ଓ ଆଫଗାନିସ୍ତାନ ପରି ଭାରତର ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଧରି ଏକ ନୂତନ ସହଯୋଗୀ ମେଣ୍ଟ ଗଠନ ପାଇଁ ଆଗଭର ହୋଇଥିବା ଜଣାଯାଇଛି। ବିଗତ କିଛି ଦିନ ଭିତରେ ଚୀନ୍‌ ନେଇଥିବା ତିନି ତିନିଟା ପଦକ୍ଷେପ ଭାରତର ମୁଣ୍ଡବିନ୍ଧାର କାରଣ ସାଜିଛି। ପ୍ରଥମତଃ ପାକିସ୍ତାନ ଓ ବାଂଲାଦେଶ ଭିତରେ ରହିଥିବା ପାରସ୍ପରିକ ବିଦ୍ବେଷ ଭାବକୁ ସାମୟିକ କବର ଦେବାରେ ସକ୍ଷମ ହୋଇଛି। ଦ୍ବିତୀୟରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସୈନ୍ୟପ୍ରତ୍ୟାହାର ବନ୍ଦ କରିଛି ଅଥବା ଧିମା କରିଦେଇଛି। ତୃତୀୟତଃ ନେପାଳ, ପାକିସ୍ତାନ ଓ ଆଫଗାନିସ୍ତାନ ସହ ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା ଡାକି ସମସ୍ତେ ଏକ ବୃହତ୍‌ ପାରସ୍ପରିକ ସହଯୋଗୀ ମେଣ୍ଟ ଗଠନ କରିବା ପାଇଁ ପ୍ରସ୍ତାବ ଦେଇଛି।

ପୂର୍ବରୁ ଗଲଵାନ ସଂଘର୍ଷ ପରେ ଭାରତ ଚୀନ୍‌ ଉପରେ ଦାଉ ସାଧିବା ପାଇଁ କୂଟନୈତିକ ପଦକ୍ଷେପ ସ୍ବରୂପ ଚୀନର ୫୯ଟି ‌ଆପ୍‌କୁ ନିଷିଦ୍ଧ କରିଥିଲା। ସେହିପରି ପ୍ରଶାନ୍ତମହାସାଗରୀୟ ଇଲାକାରେ ନିଜର ଆଗ୍ରହକୁ ଚରିତାର୍ଥ କରିବା ଲାଗି ଭାରତ ବିଶେଷ କରି ଦକ୍ଷିଣ ଚୀନ୍‌ ସାଗରରେ ନିଜର ଅଧିକାର ସାବ୍ୟସ୍ତ କରିବା ଲାଗି ଆଗେଇଛି। ତେବେ ଭାରତର ଏଭଳି ଆଭିମୁଖ୍ୟରେ ପାରମ୍ପରିକ ଶତ୍ରୁ ପାକିସ୍ତାନ ଏବଂ ବର୍ତ୍ତମାନ ପାଇଁ ନେପାଳ ବ୍ୟତୀତ ଅନ୍ୟ କୌଣସି ପଡ଼ୋଶୀ ରାଷ୍ଟ୍ର ଆନୁଷ୍ଠାନିକ ଭାବେ ନିରପେକ୍ଷତା ଅବଲମ୍ବନ କରିଛନ୍ତି। ତେବେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଚୀନ ବୈଦେଶିକ ମନ୍ତ୍ରୀ ଵାଙ୍ଗୟି ନେପାଳ, ପାକିସ୍ତାନ ଓ ଆଫଗାନିସ୍ତାନର ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଚୀନ୍‌ କୌଣସି କୋଭିଡ୍‌ ଟିକାର ସଫଳ ପ୍ରସ୍ତୁତି କଲେ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କୁ ଯୋଗାଇଦେବ ବୋଲି ଲୋଭ ଦେଖାଇ ଵାଙ୍ଗ୍‌ ୟି ଜିନ୍‌ପିଙ୍ଗ୍‌ଙ୍କ ସ୍ବପ୍ନର ପ୍ରକଳ୍ପ ବଳୟ ଅଞ୍ଚଳ ଓ ରାସ୍ତା ପଦକ୍ଷେପ(ବିଆର୍‌ଆଇ) ଅନ୍ତର୍ଗତ ସମସ୍ତ ପ୍ରକଳ୍ପ ଆଗେଇନେବାକୁ ପ୍ରସ୍ତାବ ଦେଇଛନ୍ତି। ଏପରିକି ବହୁ ପ୍ରତୀକ୍ଷିତ ଚୀନ୍‌-ପାକିସ୍ତାନ ଅର୍ଥନୈତିକ ଅଳିନ୍ଦ(ସିପିଇସି) ପ୍ରକଳ୍ପକୁ ମଧ୍ୟ ନେପାଳ ଓ ଆଫଗାନିସ୍ତାନ ଯାଏ ସମ୍ପ୍ରସାରଣ କରିବା ଲାଗି ଭରସା ଦେଇଛନ୍ତି। ନିଜର ଭୌଗୋଳିକ ସୁବିଧାକୁ ପାଥେୟ କରି ଏହି ଚାରି ଦେଶ ପରସ୍ପର ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ସହ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଵାଙ୍ଗ ୟି ଆହ୍ବାନ କରିଛନ୍ତି।
ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନର ଶାନ୍ତି ପ୍ରକ୍ରିୟାରେ ଭାରତ ଅପେକ୍ଷା ଚୀନ୍‌ ବଳିଷ୍ଠ ଭୂମିକା ନିଭାଇବାକୁ ଚାହୁଛି ବୋଲି ମଧ୍ୟ ଵାଙ୍ଗ ୟି ପରୋକ୍ଷରେ ବାର୍ତ୍ତା ଦେଇଛନ୍ତି। ସେହିପରି ନେପାଳକୁ ମଧ୍ୟ ନିକଟତର କରିବା ଲାଗି ଥୋପ ପକାଇଛନ୍ତି। ଏ ଅବସରରେ ଭଲ ପଡ଼ୋଶୀଟେ ପାଇବା ସୌଭାଗ୍ୟର କଥା ବୋଲି ଵାଙ୍ଗ ୟି ଦର୍ଶାଇବା ସହ ପାକିସ୍ତାନ ସହ ସମ୍ପର୍କକୁ ଦୃଢ଼ ଭ୍ରାତୃତ୍ବର ବୋଲି ଉଦାହରଣ ଦେଇଛନ୍ତି ଏବଂ ନେପାଳ ଓ ଆଫଗାନିସ୍ତାନ ଚୀନ୍‌ ସହ ଅନୁରୂପ ସମ୍ପର୍କ ସ୍ଥାପନ ପାଇଁ ଆଗେଇ ଆସିବାକୁ ଇସାରା କରିଛନ୍ତି।

ପାଙ୍ଗଙ୍ଗ୍‌ ସୋରୁ ସେନା ପ୍ରତ୍ୟାହାର କରିବାକୁ ଭାରତର ଦାବି
ନୂଆଦିଲ୍ଲୀ: ପାଙ୍ଗଙ୍ଗ୍‌ ସୋ ଅଞ୍ଚଳରୁ ତୁରନ୍ତ ନିଜର ସେନା ପ୍ରତ୍ୟାହାର କରିବାକୁ ଭାରତ-ଚୀନ୍‌ ପଞ୍ଚମ କମାଣ୍ଡରସ୍ତରୀୟ ବୈଠକରେ ଭାରତ ଚୀନ୍‌ ନିକଟରେ ଦାବି ଜଣାଇଛି। ସୂଚନାଯୋଗ୍ୟ, ଗତକାଲି ଭାରତ ଓ ଚୀନ୍‌ ମଧ୍ୟରେ ପଞ୍ଚମ କମାଣ୍ଡରସ୍ତରୀୟ ବୈଠକ ବସିଥିଲା। ଭାରତର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ଏବଂ ଚୀନର ମେଜର ଜେନେରାଲ ଲିଉ ଲିନ୍‌ଙ୍କ ମଧ୍ୟରେ ବୈଠକ ବସିଥିଲା।

ଚୀନ୍‌ ପ୍ରସଙ୍ଗରେ ଆମେରିକୀୟମାନେ ଭାରତ ସପକ୍ଷରେ
ସିଡନି: ସମ୍ପ୍ରତି ଭାରତ ଓ ଚୀନ୍‌ ମଧ୍ୟରେ ସୀମାସଂଘର୍ଷକୁ କେନ୍ଦ୍ର କରି ଦେଖାଦେଇଥିବା ଉତ୍ତେଜନାମୂଳକ ପରିସ୍ଥିତି ପରିପ୍ରେକ୍ଷୀରେ ଆମେରିକୀୟମାନେ ଭାରତର ପକ୍ଷ ନେବାକୁ ପସନ୍ଦ କରିଛନ୍ତି। ଏପରିକି ଭାରତ-ଚୀନ୍‌ ମଧ୍ୟରେ କୌଣସି ସାମରିକ ଅବା ଅର୍ଥନୈତିକ ଲଢ଼େଇ ଘଟିଲେ ଆମେରିକା ସରକାର ନୂଆଦିଲ୍ଲୀକୁ ସମର୍ଥନ କରିବେ ବୋଲି ଅଷ୍ଟ୍ରେଲିଆର ଲୋୟି ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି। ଜୁଲାଇ ୭ରେ ୧,୦୧୨ ଜଣ ଆମେରିକୀୟ ସାମିଲ ହୋଇଥିବା ଏହି ସର୍ବେକ୍ଷଣରେ ସେମାନଙ୍କୁ କେବଳ ଦୁଇଟି ପ୍ରଶ୍ନ ପଚରାଯାଇଥିଲା। ପ୍ରଥମଟି ହେଲା, ଭାରତ-ଚୀନ୍‌ ମଧ୍ୟରେ ସାମରିକ ସଂଘର୍ଷ ଘଟିଲେ ଆମେରିକା ଭାରତ ନା ଚୀନ୍‌କୁ ସାହାଯ୍ୟ କରିବ ନା ନିରପେକ୍ଷ ରହିବାକୁ ତୁମେ ସମର୍ଥନ କରିବ? ସେହିପରି ଦ୍ବିତୀୟ ପ୍ରଶ୍ନଟି ଥିଲା, ଭାରତ-ଚୀନ୍‌ ମଧ୍ୟରେ ଅର୍ଥନୈତିକ ଯୁଦ୍ଧ ଲାଗିଲେ ଆମେରିକା ଭାରତର ନା ଚୀନ୍‌ର ପକ୍ଷ ନେବ ନା ନିରପେକ୍ଷ ରହିବାକୁ ତୁମେ ପସନ୍ଦ କରିବ? ତେବେ ସେମାନଙ୍କ ଠାରୁ ମିଳିଥିବା ପ୍ରତିକ୍ରିୟା ଅନୁସାରେ, ଭାରତ-ଚୀନ୍‌ ମଧ୍ୟରେ ସାମରିକ ଲଢ଼େଇ ହେଲେ ଆମେରିକା କାହାକୁ ସମର୍ଥନ କରିବନି ବୋଲି ୬୩.୬ ପ୍ରତିଶତ କହିଛନ୍ତି। ସେହିପରି ଅର୍ଥନୈତିକ ବିବାଦରେ ଆମେରିକା ନିରପେକ୍ଷ ରହିବାକୁ ୬୦.୬ ପ୍ରତିଶତ ପସନ୍ଦ କରିଛନ୍ତି। ଅପରପକ୍ଷେ, ଯୁଦ୍ଧ ହେଲେ ଆମେରିକା ଭାରତକୁ ସମର୍ଥନ କରିବା ଲାଗି ୩୨.୬ ପ୍ରତିଶତ ଚାହିଥିବା ବେଳେ ଚୀନ୍‌ ସପକ୍ଷରେ ମାତ୍ର ୩.୮ ପ୍ରତିଶତ ଅଛନ୍ତି। ସେହିପରି ଅର୍ଥନୈତିକ ବିବାଦରେ ଆମେରିକା ଭାରତର ପକ୍ଷ ନେବାକୁ ୩୬.୩ ପ୍ରତିଶତ ପସନ୍ଦ କରିଥିବା ବେଳେ ଚୀନ୍‌କୁ ମାତ୍ର ୩.୧ ପ୍ରତିଶତ ସମର୍ଥନ କରିବେ ବୋଲି କହିଛନ୍ତି।

No comments