ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ଲାଗିଛି ବଡ଼ ଝଟ୍କା। ସୁରକ୍ଷା ଦାୟିତ୍ବରେ ନିୟୋଜିତ କର୍ମଚାରୀମାନଙ୍କୁ ଏବେ ଆଉ ଦରମା ଦେବା ମଧ୍ୟ ସମ୍ଭବ ହେବ ନାହିଁ। ଏଭଳି ପରିସ୍ଥି...
ସୁରକ୍ଷା ଦାୟିତ୍ବରେ ନିୟୋଜିତ କର୍ମଚାରୀମାନଙ୍କୁ ଏବେ ଆଉ ଦରମା ଦେବା ମଧ୍ୟ ସମ୍ଭବ ହେବ ନାହିଁ। ଏଭଳି ପରିସ୍ଥିତି ପରିପ୍ରେକ୍ଷୀରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ ଏବେ ପ୍ରାୟ ୫୦ ପ୍ରତିଶତ ସୁରକ୍ଷା କର୍ମଚାରୀ ଛଟେଇ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି।
ଗତ ଏପ୍ରିଲ ମାସରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରାୟ ୧୬ କୋଟି ଟଙ୍କା ଏନ୍ଟିସିଏକୁ ମଗାଯାଇଥିଲା। ହେଲେ ଏନ୍ଟିସିଏ ପକ୍ଷରୁ ମାତ୍ର ୩.୬୦ କୋଟି ଟଙ୍କା ମଂଜୁର କରାଯାଇଥିବା ନେଇ ଏବେ ଚିଠି ଆସିଛି। ଏହାର ୮୦ ପ୍ରତିଶତ ଟଙ୍କା ଖର୍ଚ୍ଚ ହେବା ପରେ ବିନିଯୋଗ ପ୍ରମାଣପତ୍ର ଦେବାକୁ କୁହାଯାଇଛି। ବର୍ତ୍ତମାନ ବ୍ୟାଘ୍ର ପ୍ରକଳ୍ପ ସୁରକ୍ଷା ଦାୟିତ୍ବରେ ୨୯୬ ଜଣ କର୍ମଚାରୀ ନିୟୋଜିତ ରହିଛନ୍ତି।
ସାତକୋଶିଆ ଅଭୟାରଣ୍ୟ ୨୦୦୭ ଡିସେମ୍ବର ୩୧ ତାରିଖରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ମାନ୍ୟତା ପାଇଛି। ୨୦୦୪ ମସିହା ବେଳକୁ ସାତକୋଶିଆରେ ୧୮ଟି ମହାବଳ ବାଘ ଥିଲେ। କିନ୍ତୁ, ଏବେ ଏହି ଜଂଗଲରେ କେବଳ ଗୋଟିଏ ଦେଶୀ ବୁଢ଼ୀ ବାଘୁଣୀ ବଞ୍ଚି ରହିଛି। ଗତ ଜୁନ୍ ୨୦୧୮ରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ବାଘୁଣୀ ସୁନ୍ଦରୀ ଓ କାହ୍ନା ଜାତୀୟ ଉଦ୍ୟାନରୁ ମହାବଳ ବାଘ ମହାବୀରକୁ ବାଘ ବଂଶ ବିସ୍ତାର ପାଇଁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ଅଣାଯାଇଥିଲା।


No comments