ଧରାପଡ଼ିଲେ ୧୨ ନକଲି ଶିକ୍ଷକ, ଜାଲ ସାର୍ଟିଫିକେଟ୍ରେ କରିଥିଲେ ଚାକିରି… ୧୨ ଜଣ ଶିକ୍ଷକଙ୍କୁ ଜାଲ ସାର୍ଟିଫିକେଟ୍ରେ ଚାକିରି କରିବା ମହଙ୍ଗା ପଡ଼ିଛି । କେନ୍ଦୁଝର ଜିଲ୍ଲ...
୧୨ ଜଣ ଶିକ୍ଷକଙ୍କୁ ଜାଲ ସାର୍ଟିଫିକେଟ୍ରେ ଚାକିରି କରିବା ମହଙ୍ଗା ପଡ଼ିଛି । କେନ୍ଦୁଝର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଏମାନେ ଜାଲିଆତି ଶିକ୍ଷାଗତ ଯୋଗ୍ୟତା ଦେଇ ଶିକ୍ଷକତା କରୁଥିବାବେଳେ ଧରାପଡ଼ିଛନ୍ତି । ବିଳମ୍ବରେ ହେଲେ ମଧ୍ୟ ଶିକ୍ଷାବିଭାଗ ଏହି ଜାଲିଆତି ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସମ୍ପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି ।
କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ପଦବି ପାଇଁ ୩ ବର୍ଷ ତଳେ ନିଯୁକ୍ତି ଦିଆଯାଇଥିଲା । ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ସମୟରେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରିବା ପରେ ଚୟନ କରାଯାଇଥିଲା । କେତେକ ଶିକ୍ଷକ ଶିକ୍ଷୟିତ୍ରୀ ଜାଲିଆତି କାଗଜପତ୍ର ଦେଇ ଚାକିରି କରୁଥିବା ଅଭିଯୋଗ ହୋଇଥିଲା । ଏହି ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଯୁକ୍ତି ସମୟରେ କନିଷ୍ଠ ଶିକ୍ଷକ ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ ମାନ୍ୟତା ହାସଲ କରିଥିଲେ ।
୩ ବର୍ଷ ପରେ ସେମାନଙ୍କୁ କନିଷ୍ଠ ଶିକ୍ଷକ ମାନ୍ୟତା ମିଳିବାକୁ ଥିବା ବେଳେ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା । ଜିଲ୍ଲା ଶିକ୍ଷା ସମୂହ ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମାଣପତ୍ର ଯାଞ୍ଚ କରିବା ପରେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ସହିତ ଯୋଗାଯୋଗ କରିଥିଲେ । ଫଳରେ ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଜାଲିଆତି ବିଇଡି ଶିକ୍ଷାଗତ ସାର୍ଟିଫିକେଟ୍ ଦେଇଥିବା ଜଣାପଡ଼ିଥିଲା । ସାର୍ଟିଫିକେଟ୍ ଜାଲିଆତି କରି ଚାକିରି କରିଥିବାରୁ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହିତ ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।


No comments