କଟକ ଦଶହରାରେ ମୂର୍ତ୍ତିର ୪ ଫୁଟ୍ ଉଚ୍ଚତା ନିର୍ଦ୍ଧାରଣକୁ ନେଇ ସୃ୍ଷ୍ଟି ହୋଇଥିବା ବିବାଦର ଆଜି ଅନ୍ତ ଘଟିଛି। ସରକାର ମୂର୍ତ୍ତିର ଉଚ୍ଚତା ନିର୍ଦ୍ଧାରଣ କରି ନିୟମାବଳୀ...
ସରକାର ମୂର୍ତ୍ତିର ଉଚ୍ଚତା ନିର୍ଦ୍ଧାରଣ କରି ନିୟମାବଳୀ ଜାରି କରିବା ପରେ ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। କିନ୍ତୁ ଆଜି ହାଇକୋର୍ଟଙ୍କ ରାୟ ପୂଜା କମିଟିଙ୍କୁ ଆଶ୍ବସ୍ତ କରିଛି। ବିଶେଷକରି ପାରମ୍ପରିକ ରୀତିନୀତି ଅନୁସାରେ ମୂର୍ତ୍ତି ନିର୍ମାଣ ଜାରି ରଖିଥିବା ପୂଜା କମିଟି ଗୁଡିକ ପୂର୍ବ ବର୍ଷମାନଙ୍କ ଭଳି ମୂର୍ତ୍ତି ନିର୍ମାଣ କରିପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତ ରଖିବା ଓ ପୂଜା ମଣ୍ଡପରେ ସଂପୂର୍ଣ୍ଣ ପରଦା ଟାଣି ପୂଜା କରିବା ପାଇଁ ସରକାର ଗାଇଡଲାଇନ ଜାରି କରିବା ପରେ ‘ସମ୍ବାଦ’ରେ ଏହାକୁ ନେଇ ଉପସ୍ଥାପିତ ପ୍ରସଙ୍ଗରେ ଦଳମତ ନିର୍ବିଶେଷରେ ସହରର ବ୍ୟକ୍ତିବିଶେଷ ସ୍ବର ଉତ୍ତୋଳନ କରିଥିଲେ। ବାଲୁବଜାର ପୂଜା କମିଟି ଏହି ପ୍ରସଙ୍ଗରେ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ପରେପରେ ଅନ୍ୟ ପୂଜା କମିଟି ମଧ୍ୟ ମାମଲାରେ ପକ୍ଷଭୁକ୍ତ ହୋଇଥିଲେ।
ସେପ୍ଟେମ୍ବର ୧୭ରେ ଖଡ଼ିମରା ନୀତି ସଂପାଦନ ହେବାକୁ ଥିବାବେଳେ ମୂର୍ତ୍ତି ନିର୍ମାଣ କାମ ବହୁ ବାଟ ଆଗେଇ ଯାଇ ଏକ ପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କଟକରେ ଦୁର୍ଗାପୂଜାର ପରମ୍ପରା ୫ଶହ ବର୍ଷରୁ ଅଧିକ ହୋଇଥିବା ବେଳେ ପ୍ରତିବର୍ଷ ଏକାଭଳି ନିର୍ଦ୍ଦିଷ୍ଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯାଏ। ମୂର୍ତ୍ତିର ନିର୍ଦ୍ଦିଷ୍ଟ ମୁଖା ରହିଛି। ମୂର୍ତ୍ତିର ଆକାର ଛୋଟ ହେଲେ କିପରି ସମାନ ମୁଖାର ମୂର୍ତ୍ତି ନିର୍ମାଣ କରାଯିବ ବୋଲି ଆବେଦନକାରୀଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଥିଲା।
ଏଥିସହିତ ପୂଜା କମିଟି ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା ସମସ୍ତ ନିୟମାବଳୀ ପାଳନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କୋଲକାତାରେ ମଧ୍ୟ ଦୁର୍ଗାପୂଜା ପାଇଁ ଅନୁମତି ଦିଆଯାଇଥିବା ପ୍ରସଂଗରେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଅଗଷ୍ଟ ୨୮ରେ ଅନୁଷ୍ଠିତ ବୈଠକରେ କଟକର ସବୁ ପୂଜା କମିଟିର ପ୍ରତିନିଧି ଉପସ୍ଥିତ ନଥିଲେ, ତେଣୁ ମୂର୍ତ୍ତି ଉଚ୍ଚତା ସଂପର୍କିତ ସହମତି ପ୍ରସଂଗ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା।


No comments