ନିର୍ଧାରିତ ସମୟରେ ବୁଲେଟ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇପାରିବନି। ଆଗକୁ ମଧ୍ୟ ବିଳମ୍ବ ହୋଇ ପାରେ। କରୋନା ମହାମାରୀ ମଧ୍ୟ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସମସ୍ୟାକୁ ଆହୁରି ବ...
କରୋନା ମହାମାରୀ ମଧ୍ୟ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି ବୋଲି ରେଳ ବୋର୍ଡ ପକ୍ଷରୁ କୁହାଯାଇଛି।୨୦୨୩ ଡିସେମ୍ବର ସୁଦ୍ଧା ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଦିନ ଧାର୍ଯ୍ୟ ହୋଇଛି। ମାତ୍ର ଏହି ପ୍ରକଳ୍ପ ଅନେକ ସମସ୍ୟା ଦେଇ ଗତି କରୁଥିବାରୁ ପ୍ରଥମ ବୁଲେଟ୍ ଟ୍ରେନ୍ ଚାଲିବା ଲାଗି ୨୦୨୮ ଅକ୍ଟୋବର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା।
ତାହା ଉପରେ ସ୍ପଷ୍ଟୀକରଣ ଦେଇ ରେଳ ବୋର୍ଡ ଜଣାଇଛି ଯେ, କୌଣସି ପ୍ରକାର ପ୍ରକଳ୍ପ ଲାଗି ହାତରେ ୯୦ ପ୍ରତିଶତ ଜମି ପହଞ୍ଚିଯିବା ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଏ ଏବଂ ଟେଣ୍ଡର ଆହ୍ବାନ କରାଯାଇଥାଏ। କରୋନା ମହାମାରୀ ପାଇଁ ଏହି ସମସ୍ତ ପ୍ରକ୍ରିୟା ପ୍ରଭାବିତ ହୋଇଛି। ରେଳ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି ଯେ ଜମି ଅଧିଗ୍ରହଣକୁ ନେଇ ରହିଥିବା ସ୍ଥିତି ଛଅ ମାସ ଭିତରେ ସ୍ପଷ୍ଟ ହୋଇଯିବ।
ଜମି ଅଧିଗ୍ରହଣ ସମସ୍ୟା ସମାଧାନ ହୋଇଯିବା ପରେ ପୁଣି ଥରେ ଟେଣ୍ଡର ଆହ୍ବାନ କରାଯିବ ବୋଲି ଶ୍ରୀ ଯାଦବ କହିଛନ୍ତି। ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପକୁ ୧.୦୮ ଲକ୍ଷ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ। ସେଥି ମଧ୍ୟରୁ ୮୮ ହଜାର କୋଟି ଟଙ୍କା ଜାପାନ ଆନ୍ତର୍ଜାତିକ ସହଯୋଗିତା ଏଜେନ୍ସି (ଜିକା) ଋଣ ଆକାରରେ ପ୍ରଦାନ କରିବ। ଜିକା ଠାରୁ ୧୫ ହଜାର କୋଟି ଟଙ୍କାର ଋଣ ଆଣିବା ଲାଗି ସରକାର ବୁଝାମଣା ସ୍ବାକ୍ଷର କରିଥିବା ଜଣାପଡ଼ିଛି।


No comments