ଅନଲାଇନ ରେ ସାମଗ୍ରୀ ବିକିବେ ଖୁଚୁରା ବ୍ୟବସାୟି। ବାରମ୍ବାର ବିଦ୍ରୋହ କରି ଆସୁଥିବା ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ଶେଷରେ ନିଜର ଏକ ଇ-କମର୍ସ ପୋର୍ଟା...
ବାରମ୍ବାର ବିଦ୍ରୋହ କରି ଆସୁଥିବା ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ଶେଷରେ ନିଜର ଏକ ଇ-କମର୍ସ ପୋର୍ଟାଲ ଖୋଲିବା ପାଇଁ ଘୋଷଣା କରିଛି। ଆସନ୍ତାମାସରେ ଖୋଲାଯିବାକୁ ଥିବା ଏହି ପୋର୍ଟାଲର ନାମ ଭାରତଇମାର୍କେଟ ରଖାଯାଇଛି। କେନ୍ଦ୍ର ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ (ଡିପିଆଇଆଇଟି) ସହଯୋଗରେ ସିଏଆଇଟି ଏହି ପ୍ଲାଟଫର୍ମ ଆରମ୍ଭ କରିବ।
ପ୍ରଥମେ ଗ୍ରୋସରି ସାମଗ୍ରୀରୁ ଏହା ଆରମ୍ଭ ହେବ। ଆଗାମୀ ଦିନରେ ଏହା ଜିଓମାର୍ଟ, ଆମାଜନ, ଫ୍ଲିପକାର୍ଟ, ବିଗ୍ବାସ୍କେଟ ଏବଂ ଗ୍ରୋଫର୍ସ ସହିତ ପ୍ରତିଯୋଗିତା କରିବ। ଏହି ପୋର୍ଟାଲ ମାଧ୍ୟମରେ ଗ୍ରାହକଙ୍କୁ ୨ ଘଣ୍ଟାରେ ସାମଗ୍ରୀ ଯୋଗାଇ ଦିଆଯିବା ଯୋଜନା ରହିଛି ବୋଲି ସିଏଆଇଟି ମହାସଚିବ ପ୍ରବୀଣ ଖଣ୍ଡେଲୱାଲ ପୂର୍ବରୁ ସୂଚନା ଦେଇଥିଲେ।
ନିୟମ ଉଲ୍ଲଂଘନ କରୁଥିବା ସଂସ୍ଥାଙ୍କ ଉପରେ ଜରିମାନା ଲଗାଇବା ପାଇଁ ଯଥେଷ୍ଟ କ୍ଷମତା ରହିବା ଆବଶ୍ୟକ ବୋଲି ସିଏଆଇଟିର ଜାତୀୟ ସଭାପତି ବି ସି ଭରତିଆ ଓ ମହାସଚିବ ଶ୍ରୀ ଖଣ୍ଡେଲୱାଲ ମିଳିତଭାବେ କହିଛନ୍ତି। ଦେଶରେ ପାଖାପାଖି ୭ କୋଟି ଖୁଚୁରା ବ୍ୟବସାୟୀ ଥିବାରୁ ଏହାକୁ ଠିକ୍ ଭାବେ ପରିଚାଳିତ କରିବା ପାଇଁ ଏକ ଉପଯୁକ୍ତ ନୀତିର ଆବଶ୍ୟକତା ରହିଛି।


No comments