ଚାଲିଗଲେ ‘ରୁପା ଶଗଡ଼ିର’ର ଶଗଡ଼ିଆ, ଛାଡ଼ି ଦେଇ ଗଲେ ଅନେକ ଅଭୁଲା ସ୍ମୃତି ଭୁବନେଶ୍ବର ୨୧।୭ : ଅଭିନୟରେ କୌଣସି ଚରିତ୍ରକୁ ସେ ଛୁଇଁ ନାହାନ୍ତି ବୋଲି ନାହିଁ ।...
ଚାଲିଗଲେ ‘ରୁପା ଶଗଡ଼ିର’ର ଶଗଡ଼ିଆ, ଛାଡ଼ି ଦେଇ ଗଲେ ଅନେକ ଅଭୁଲା ସ୍ମୃତି
ଭୁବନେଶ୍ବର ୨୧।୭ : ଅଭିନୟରେ କୌଣସି ଚରିତ୍ରକୁ ସେ ଛୁଇଁ ନାହାନ୍ତି ବୋଲି ନାହିଁ । ସବୁ କ୍ଷେତ୍ରରେ ତାଙ୍କ ପ୍ରତିଭା ଦିଗନ୍ତ ବିସ୍ତାରି ଥିଲା । କେତେବେଳେ ସେ ନାୟକ ହେଇଛନ୍ତି ପୁଣି କେତେବେଳେ ଖଳନାୟକ । ପୁଣି କେଉଁଠି ହାସ୍ୟ ଅଭିନେତା ହୋଇ ହାସ୍ୟ ରସ ବାଣ୍ଟିଛନ୍ତି । ପୁଣି କେଉଁଠି ବାପା, ଭାଇ, ଜେଜେ, ଅଜା ଆଦି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ପ୍ରତିଟି ପର୍ଯ୍ୟାୟରେ ତାଙ୍କ ଅଭିନୟର ତୁଳନା ନାହିଁ । ସବୁଠି ଏବଂ ସବୁ ସିନେମାରେ ତାଙ୍କ ଅଭିନୟ ଖାଲି ବାରିହୁଏ ନାହିଁ ବରଂ ସ୍ମୃତି ହୋଇ ରହିଛି । ସେ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ସାହିତ୍ୟ ରଚନା ବି କରିଛନ୍ତି ।
ତାଙ୍କ ଅଭିନୀତ ଏମିତି ଗୁଡ଼ାଏ ସିନେମା ଅଛି ଯେଉଁଥିପାଇଁ ସେ ସର୍ବଦା ମନେ ରହିବେ । ‘ଆରତୀ’, ‘ମମତା ମାଗେ ମୂଲ’, ‘ଏଇ ଆମ ସଂସାର’, ‘ଆମ ଘର ଆମ ସଂସାର’, ‘କି ହେବ ଶୁଆ ପୋଷିଲେ’, ‘ଜଗା ହାତରେ ପଘା’, ‘ଭୀଷ୍ମ ପ୍ରତିଜ୍ଞା’, ‘ଭାଇ ହେଲା ଭଗାରୀ’, ‘ସୁନା ପଞ୍ଜୁରୀ’, ‘ଲକ୍ଷ୍ମଣ ରେଖା’,ରାକ୍ଷୀ ଭିଜିଗଲା ଆଖି ଲୁହରେ’ ଏବଂ ‘ଆଇଲଭ୍ ମାଇଁ ଇଣ୍ଡିଆ’ ଆଦି ଅନ୍ୟତମ । ବଡ଼ କଥା ହେଲା ତାଙ୍କ ଜୀବନ କାଳ ମଧ୍ୟରେ ସେ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ‘ଭୁଲି ହୁଏନା’ରେ ନିର୍ଦ୍ଦେଶନା ଦେଇଥିଲେ ।
ବହୁ ଧାରାବାହିକରେ ବି ସେ ଅଭିନୟର ଛାପ ଛାଡ଼ିଛନ୍ତି । ସେଭିତରେ ରହିଛି ‘ଆଶାର ଆଲୋକ’, ‘ଶ୍ରୀଜଗନ୍ନାଥ’, ‘ସୁଭଦ୍ରା’, ‘ସାରା ଆକାଶ’, ‘ସମୟ ଚକ’, ‘ସକାଳର ଅପେକ୍ଷାରେ’, ‘ନଦେଖିଲା ଲୋକ ଦେଖ’, ‘ମହାଯଜ୍ଞ’, ‘ବିଧାତାର ଖେଳ’ ଭଳି ବହୁ ଲୋକପ୍ରିୟ ଧାରାବାହିକ । ସେହିପରି ଅନେକ ନାଟକର ରଚନା ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ଓ ଅଭିନୟ କରିଛନ୍ତି । ନାଟକ ‘ଅଜାତି’ ଲାଗି ସେ ୨୦୦୯ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଯେଉଁ ନାଟକ ତାଙ୍କର ବେଶ୍ ଲୋକାଦୃତ ଓ ସଫଳ ହୋଇଥିଲା ।
ଓଡ଼ିଶା ଚଳଚ୍ଚିତ୍ରର ଶ୍ରେଷ୍ଠ ‘ଜୟଦେବ ପୁରସ୍କାର’ ସହ ୬ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଚଳଚ୍ଚିତ୍ର ‘ଆରତୀ’, ‘ମମତା ମାଗେ ମୂଲ’, ‘ଏଇ ଆମ ସଂସାର’, ‘ଆମ ଘର ଆମ ସଂସାର’, ‘ଭୀଷ୍ମ ପ୍ରତିଜ୍ଞା’ ଏବଂ ‘ଭାଇ ହେଲା ଭଗାରୀ’ ପାଇଁ ସେ ଏହି ପୁରସ୍କାର ପାଇଥିଲେ । ୧୯୮୭ରେ ଶ୍ରେଷ୍ଠ ଅଭିନେତା ଭାବେ ଓଡ଼ିଶା ସିନେ କ୍ରିଟିକ୍ ଆୱାର୍ଡ ପାଇଥିଲେ।





No comments