ସନ୍ଦେହ କରାଯାଉଛି ଯେ, ସାନିଟାଇଜରରୁ ଜଳି ଯାଇଛି କାର ! ବରମୁଣ୍ଡା ରୁଚିକା ମାର୍କେଟରେ ରବିବାର ଅପରାହ୍ଣରେ ଏକ ଧଳାରଙ୍ଗର କାର ଜଳିଯାଇଛି। ଅଗ୍ନିଶମ ବିଭାଗର ଦୁଇଟି ...
ବରମୁଣ୍ଡା ରୁଚିକା ମାର୍କେଟରେ ରବିବାର ଅପରାହ୍ଣରେ ଏକ ଧଳାରଙ୍ଗର କାର ଜଳିଯାଇଛି। ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ଉକ୍ତ କାରରୁ ନିଆଁ ଲିଭାଇଛନ୍ତି । କିନ୍ତୁ କାରଟି ସମ୍ପୂର୍ଣ୍ଣ ଜଳି ଯାଇଛି । କେଉଁ କାରଣରୁ କାରରେ ଅଗ୍ନିକାଣ୍ଡ ଘଟିଲା, ଏନେଇ ଅଗ୍ନିଶମ ବିଭାଗ କିଛି ସ୍ପଷ୍ଟ କରିନି। ତେବେ କାର୍ରେ ରଖାଯାଇଥିବା ସାନିଟାଇଜର ଯୋଗୁଁ ଏଥିରେ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରୁଛି।
ଘଟଣାଟି ଅପରାହ୍ଣ ୨ଟା ବେଳର । ହାଉସିଂ ବୋର୍ଡ କଲୋନିରେ ରହୁଥିବା କେ. ସଞ୍ଜୟ ପାତ୍ରଙ୍କର ଏକ ମେଡିସିନ୍ ଦୋକାନ ଅଛି । ଅପରାହ୍ଣ ସାଢ଼େ ୧ଟା ବେଳେ ସେ କାର ନେଇ ଘରକୁ ଫେରୁଥିଲେ। ରୁଚିକା ମାର୍କେଟରେ ଜଣେ ସାଙ୍ଗ ଦେଖା ହେବାରୁ ଅଟକିଥିଲେ । ସାଙ୍ଗ ଯିବା ପରେ କାର ଷ୍ଟାର୍ଟ କରିବାକୁ ଚାବି ମୋଡିବା କ୍ଷଣି କାର ସାମ୍ନା ଇଞ୍ଜିନରୁ ଧୂଆଁ ବାହାରିଥିଲା । ଶ୍ରୀ ପାତ୍ର ତୁରନ୍ତ କାରରୁ ଓହ୍ଲାଇ ପଡିଥିଲେ । କେଇଟା ମିନିଟ୍ରେ କାରର ଚାରିଆଡେ ନିଆଁ ବ୍ୟାପି ଯାଇଥିଲା । ସେ ତୁରନ୍ତ ଅଗ୍ନିଶମ ବିଭାଗକୁ ଜଣାଇଲେ । ବରମୁଣ୍ଡାସ୍ଥିତ ଓଡ଼ିଶା ଫାୟାର ଆଣ୍ଡ ଡିଜାଷ୍ଟର ରେସପନ୍ସ ଏକାଡେମୀରୁ ଏକ ଦମକଳ ଗାଡି ସେଠାକୁ ଯାଇଥିଲା । ସେତେବେଳକୁ କାରର ଅଧିକାଂଶ ଅଂଶରେ ନିଆଁ ଲାଗିଯାଇଥିଲା । ପରେ କଳ୍ପନା ଅଗ୍ନିଶମ ଅଫିସରୁ ଅନ୍ୟ ଏକ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା । ଅଗ୍ନିଶମ ବିଭାଗ କହିଛି, ପୋଡିଯାଇଥିବା କାରରେ ଦୁଇଟି ସାନିଟାଇଜ୍ ବୋତଲ ରଖାଯାଇଥିଲା ।
ଏହାଛଡ଼ା ଶ୍ରୀ ପାତ୍ରଙ୍କ ସୂଚନା ମୁତାବକ, କାର ଚଳାଇବା ପୂର୍ବରୁ ସେ କାରର ଚାରିପାଖରେ ସାନିଟାଇଜର ସ୍ପେ କରିଥିଲେ। ଯେହେତୁ ସାନିଟାଇଜର ଏକ ଦହନଶୀଳ ଦ୍ରବ୍ୟ । ଏଥିଯୋଗୁଁ କାରର ଚାରିପାଖେ ଆଖିପିଛୁଳାକେ ନିଆଁ ଖେଳିଯାଇଥିବା ଅଗ୍ନିଶମ ଟିମ୍ ସନ୍ଦେହ କରୁଛି ।


No comments