ଜି୨୦ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତୀୟ ଅର୍ଥନୀତି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ...
ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ଏହା ଜଣାଇଛନ୍ତି। ସେ ବିଭିନ୍ନ ଦେଶର ଅଭିବୃଦ୍ଧି ହାରକୁ ନେଇ ଏକ ଗ୍ରାଫ୍ ଜାରି କରିଛନ୍ତି ଯେଉଁଥିରେ ଭାରତର ଅଭିବୃଦ୍ଧି ୨୫.୬% ହ୍ରାସ ପାଇଥିବା ଉଲ୍ଲେଖ ରହିଛି।
ସରକାରଙ୍କ ତରଫରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ଏପ୍ରିଲ୍-ଜୁନ୍ ତିନି ମାସରେ ଦେଶର ଅଭିବୃଦ୍ଧି ହାର ୨୩.୯ ପ୍ରତିଶତ ହ୍ରାସ ପାଇଛି। କୃଷି କ୍ଷେତ୍ରକୁ ବାଦ ଦେଲେ ଅନ୍ୟ ସବୁ କ୍ଷେତ୍ରର ବିକାଶ ହାରରେ ବଡ଼ ଧରଣର ହ୍ରାସ ଘଟିଛି।
ଗୀତା ଟୁଇଟ୍ କରି ଜଣାଇଛନ୍ତି ଯେ, ଏପ୍ରିଲ୍-ଜୁନ୍ ତ୍ରୟମାସର ଅଭିବୃଦ୍ଧି ହାରକୁ ଲକ୍ଡାଉନ୍ ଐତିହାସିକ ନିମ୍ନ ସ୍ତରକୁ ଟାଣି ଆଣିଛି। ସେ ପୋଷ୍ଟ୍ କରିଥିବା ଗ୍ରାଫ୍ରେ ବିଭିନ୍ନ ଦେଶର ଅଭିବୃଦ୍ଧି ତଥ୍ୟର ତୁଳନାତ୍ମକ ଚିତ୍ର ଦିଆଯାଇଛି। ସେ ଜଣାଇଛନ୍ତି ଯେ ଭାରତୀୟ ଅର୍ଥନୀତିରେ ଜୁଲାଇ-ସେପ୍ଟେମ୍ବରରେ କିଛିଟା ସୁଧାର ହେବ।
କୋରିଆର ଅଭିବୃଦ୍ଧି ୩.୨ ପ୍ରତିଶତ ହ୍ରାସ ପାଇଥିବା ବେଳେ ଇଣ୍ଡୋନେସିଆର ୬.୯ ପ୍ରତିଶତ, ଅଷ୍ଟ୍ରେଲିଆର ୭ ପ୍ରତିଶତ, ଜାପାନର ୭.୮ ପ୍ରତିଶତ, ରୁଷିଆର ୮.୯ ପ୍ରତିଶତ, ଆମେରିକାର ୯.୧ ପ୍ରତିଶତ, ଜର୍ମାନିର ୯.୭ ପ୍ରତିଶତ, ବ୍ରାଜିଲ୍ର ୯.୭ ପ୍ରତିଶତ, ତୁର୍କୀର ୧୧ ପ୍ରତିଶତ, କାନାଡାର ୧୧.୫ ପ୍ରତିଶତ, ୟୁରୋ ୨୭ର ୧୧.୭ ପ୍ରତିଶତ, ଇଟାଲିର ୧୨.୮ ପ୍ରତିଶତ, ଫ୍ରାନ୍ସର ୧୩.୮ ପ୍ରତିଶତ, ମେକ୍ସିକୋର ୧୭.୧ ପ୍ରତିଶତ, ସ୍ପେନ୍ର ୧୮.୫ ପ୍ରତିଶତ, ବ୍ରିଟେନ୍ର ୨୦.୪ ପ୍ରତିଶତ ଓ ଭାରତର ଅଭିବୃଦ୍ଧି ୨୫.୬ ପ୍ରତିଶତ ହ୍ରାସ ପାଇଛି।


No comments