କୋଭିଡ଼ ହସ୍ପିଟାଲରେ ନିଆଁ ଲାଗି ଯାଇ ଥିବା ରୁ ରୋଗୀ ମାନଙ୍କୁ ଅନ୍ୟ ହସ୍ପିଟାଲ କୁ ସ୍ଥାନାନ୍ତର। ରାଜ୍ୟରେ ଏହା ପ୍ରଥମ ଘଟଣା ହୋଇଥିବା ବେଳେ ଏହାକୁ ନେଇ ଗୁରୁତର ପରିସ...
ରାଜ୍ୟରେ ଏହା ପ୍ରଥମ ଘଟଣା ହୋଇଥିବା ବେଳେ ଏହାକୁ ନେଇ ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମସ୍ତ ୧୨୭ ଜଣ ରୋଗୀଙ୍କୁ ଅନ୍ୟ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତର ହୋଇଥିବା ସମସ୍ତ ରୋଗୀଙ୍କୁ ଅବସ୍ଥା ଏଯାଏ ସ୍ଥିର ଥିବା କୁହାଯାଉଛି।
ଏହାକୁ ନେଇ ହସ୍ପିଟାଲ ପରିସରରେ ଆତଙ୍କ ଖେଳିଯିବା ସହିତ କିଛି ରୋଗୀ ଧାଁଦୌଡ କରିବା ଆରମ୍ଭ କରିଦେଇଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ଓ କର୍ମଚାରୀ ଅବଶ୍ୟ ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଥିଲେ। ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ତୃତୀୟ ମହଲାରୁ ରୋଗୀଙ୍କୁ ସତର୍କତାର ସହିତ ତଳକୁ ଆଣି ୧୦୮ ଓ ୧୦୨ ଆମ୍ବୁଲାନ୍ସରେ ବିଭିନ୍ନ ହସ୍ପିଟାଲକୁ ପଠାଇଥିଲେ।
କିଡନି ସଂକ୍ରମିତ, ଗର୍ଭବତୀ ମହିଳା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ଗ୍ୟାସ ବାହାରିବା ଘଟଣାକୁ ସ୍ବୀକାର କରିଥିଲେ ବି ନିଆଁ ଲାଗିବା ଘଟଣାକୁ ଅସ୍ବୀକାର କରିଛନ୍ତି। କିନ୍ତୁ ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ ହସ୍ପିଟାଲରେ ନିଆଁ ଲାଗିଥିଲା କିନ୍ତୁ ତାହାକୁ ତୁରନ୍ତ ନିୟନ୍ତ୍ରଣ କରି ଦିଆଯାଇଥିବା କହିଛନ୍ତି। ହସ୍ପିଟାଲର ଅଗ୍ନି ସୁରକ୍ଷା ସାର୍ଟିଫିକେଟ ନଥିଲା। ଏଥିପାଇଁ କିଛି ସମସ୍ୟା ଥିବା ବେଳେ ତାହାକୁ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଥିଲା ବୋଲି ଶ୍ରୀ ସେଠୀ କହିଛନ୍ତି।
ଅନ୍ୟପଟେ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ୧୫ ଜଣ ଅଗ୍ନିଶମ କର୍ମଚାରୀ ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଆଇସୋଲେସନରେ ଯିବାକୁ କୁହାଯାଇଛି। ସେମାନଙ୍କ ସ୍ବାବ ପରୀକ୍ଷା ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଆରଡିସି ଅନିଲ କୁମାର ସାମଲ ଓ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିବା ଅନୁଯାୟୀ ଅନ୍ୟ ସମସ୍ତ କୋଭିଡ ହସ୍ପିଟାଲର ଅଗ୍ନି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି। ଏଭଳି ଦୁର୍ଘଟଣାର ଯେଭଳି ପୁନରାବୃତ୍ତି ନ ଘଟିବ, ସେ ଦିଗରେ ପଦକ୍ଷେପ ନିଆଯାଉଛି।


No comments